ଫ୍ୟାମିଲି ସହ ଫ୍ରାନ୍ସରେ ଛୁଟି କାଟୁଛନ୍ତି ଭାରତୀୟ କୋଚ୍ ଗୌତମ ଗମ୍ଭୀର, ‘ଏକ୍ସ’ରେ ସେୟାର କଲେ ଫଟୋ

Published By : Prameya-News7 Bureau | March 27, 2025 IST

ନୂଆଦିଲ୍ଲୀ ୨୭।୦୩; ଟିମ୍‌ ଇଣ୍ଡିଆକୁ ଆଇସିସି ଚାମ୍ପିଅନ୍ସ   ଟ୍ରଫିରେ ଚାମ୍ପିଅନ୍‌ କରାଇବା ପରେ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀର ଫ୍ରାନ୍ସରେ ଛୁଟି କାଟୁଛନ୍ତି। ତାହା ପୁଣି ପରିବାର ସଦସ୍ୟଙ୍କ ସହିତ । ତାଙ୍କ  ସହ ପତ୍ନୀ ନତାଶା ଏବଂ ଦୁଇ ଝିଅ ଆଜିନ୍‌ ଓ ଅନାଇଜା ମଧ୍ୟ  ଅଛନ୍ତି । ସେ ସୋସିଆଲ୍‌ ମିଡିଆ ‘ଏକ୍ସ’ରେ ଫଟୋ ସେୟାର କରି ସୂଚନା ଦେଇଛନ୍ତି । 

ଆଇପିଏଲ୍‌ ଜାରି ରହିଥିବାରୁ  ଭାରତୀୟ ଦଳର ଏବେ କୌଣସି କ୍ରୀଡ଼ାସୂଚୀ ନାହିଁ । ତେଣୁ ଗମ୍ଭୀର  ସପରିବାର ସହ ଗତ ସପ୍ତାହ ୱେଷ୍ଟର୍ଣ୍ଣ ୟୁରୋପ୍‌ ଯାତ୍ରା କରିଥିଲେ । ପୂର୍ବତନ ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ଼ଙ୍କ ନେତୃତ୍ୱରେ ଭାରତ  ଗତ ବର୍ଷ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଚାମ୍ପିଅନ୍‌ ହୋଇଥିଲା । ବିଶ୍ୱକପ୍‌  ସହ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା ଏବଂ ବିସିସିଆଇ  ଗମ୍ଭୀରଙ୍କୁ ମୁଖ୍ୟ କୋଚ୍‌ ନିଯୁକ୍ତ କରିଥିଲା । ଗମ୍ଭୀର କୋଚ୍‌  ଦାୟିତ୍ୱ ଗ୍ରହଣ କରିବା ପରେ ଭାରତ ଘରୋଇ ମାଟିରେ  ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଏବଂ ଅଷ୍ଟ୍ରେଲିଆ ଗସ୍ତରେ   ବର୍ଡ଼ର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜରେ ପରାଜିତ ହୋଇଥିଲା ।  ଯାହାକୁ ନେଇ ଗମ୍ଭୀରଙ୍କୁ କଡ଼ା ସମାଲୋଚିତ ହେବାକୁ  ପଡ଼ିଥିଲା। 

ମାତ୍ର ଚାମ୍ପିଅନ୍ସ ଟ୍ରଫିରେ ଭାରତ ଅପରାଜେୟ  ରହିବା ସହ ତୃତୀୟ ଥର ଚାମ୍ପିଅନ୍‌ ହୋଇଥିଲା । ଫାଇନାଲ୍‌ରେ   ଭାରତ ୪ ୱିକେଟ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା ।  ସୂଚନାଯୋଗ୍ୟ, ଭାରତ ଆଗାମୀ ଜୁନ ମାସରେ ଇଂଲଣ୍ଡ ଗସ୍ତ  କରି ୫ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ । ଏହାପରେ ଦଳ   ବାଂଲାଦେଶ ଗସ୍ତ କରିବାକୁ ଥିବାବେଳେ ଘରୋଇ ମାଟିରେ  ୱେଷ୍ଟଇଣ୍ଡିଜ୍‌ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ଖେଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.